Unknown

 

 

 

 

 

 

 

 

 

ବାଳ-ପ୍ରଭାତୀ

ଶ୍ରୀ ବାଞ୍ଛାନିଧି ଦାଶ

 

 

 

 

 

 

ବାଳ-ପ୍ରଭାତୀ’ ମୁଁ ବାଳ ପ୍ରାଣେ ଦେବି

ନବ ଜାଗରଣ ଝର,

ଦେଶ ଦଶ କାମେ ବନ ସରସ

କରାଇବି ନିରନ୍ତର ।

ବାଞ୍ଛାନିଧି

Image

 

 

 

ଉତ୍ସର୍ଗପତ୍ର

 

ଯେଉଁ ପ୍ୟାରୀମୋହନ ବିଦ୍ୟାଳୟର ମାନନୀୟ ଶିକ୍ଷକବୃନ୍ଦ

ଓ ଛାତ୍ର ଭାଇମାନଙ୍କ ସୌହାର୍ଦ୍ଦ୍ୟରେ ମୋର କବିତା-

ଗୁଡିକ ପୁସ୍ତକ ଆକାର ଧାରଣ କରି ଜାତିର

ସେବା ପଥରେ ଅଗ୍ରସର ହେବାକୁ

ଯାଉଛି, ମୋର ହୃଦୟର ଗଭୀର

କୃତଜ୍ଞତା ସ୍ୱରୂପ ସେମାନଙ୍କ

ତରଫରୁ ପୂଜ୍ୟ ପ୍ରଧାନ ଶିକ୍ଷକ

ଶ୍ରୀଯୁକ୍ତ ବସନ୍ତକୁମାର ଦାସଙ୍କ

କରକମଳରେ

ଅର୍ପଣ କଲି

ଲେଖକ

Image

 

–ମନକଥା–

 

ଉତ୍କଳ ମୌଳିକ ଜାତୀୟ ଶିକ୍ଷାନୁଷ୍ଠାନରେ କର୍ମୀରୂପେ ଥାଇ ଛୋଟ ଛୋଟ ପିଲାଙ୍କର ମନୋଭାବ ଲକ୍ଷ୍ୟ କରି ଯେଉଁ କବିତା ଓ ସଙ୍ଗୀତ ଗୁଡିକ ଲେଖି ସେମାନଙ୍କ ସରଳ ପ୍ରାଣକୁ ନବୀନ ଶିକ୍ଷା ଦିଗରେ ଆକର୍ଷଣ କରିବାକୁ କିଞ୍ଚିତ କ୍ଷମ ହୋଇ ପାରିଛି-ସେଇ-ଗୁଡିକ ମଧ୍ୟରୁ ଏ କେତୋଟି ମାତ୍ର ସଂଗ୍ରହ । କେବଳ କର୍କଶ ଗଦ୍ୟମୟ ବାଟ ଦେଇ ପିଲାଙ୍କର ଯେ ଶିକ୍ଷା ଲାଭ କରାଯାଇ ପାରେନା କବିତା ମଧ୍ୟ ଦେଇ ତାହା ସୁଗମ ବୋଲି ମୋର ଅନୁଭୂତି ।

 

ଆଜି କାଲି ମୌଳିକ ଶିକ୍ଷାର କ୍ରମିକ ଆଦର ଓ ପ୍ରସାର ଦେଖି ଓ ମୋର ସହକର୍ମୀ ଶିକ୍ଷକମାନଙ୍କ ଅନୁରୋଧରେ ଏ କେତୋଟି ପ୍ରକାଶ କରିବାକୁ ଯାଉଛି । ଏଇ ସରଳ କବିତା ପୁସ୍ତକ ଖଣ୍ଡି ଯେ କେବଳ ମୌଳିକ ଶିକ୍ଷାନୁଷ୍ଠାନର କାର୍ଯ୍ୟରେ ଲାଗିବ ବୋଲି ମୋର ଇଚ୍ଛା ତା ନୁହେଁ-ପ୍ରାଥମିକ ବିଦ୍ୟାଳୟରେ ବା ସମୁଦାୟ ଦେଶର ଗାଁ ଗହଳର ପିଲାମାନଙ୍କ ପ୍ରାଣରେ ଯଦି ନବ ଜାଗରଣର ଅବତାରଣା କରେ, ତେବେ ମୋର ଶ୍ରମ ସାର୍ଥକ ହେବ । ଇତି ।

ଲେଖକ

Image

 

ଉତ୍କଳର ଋଷିପ୍ରତିମା ଆଚାର୍ଯ୍ୟ ହରିହର ଦାସଙ୍କ

ଆଶୀର୍ବାଦ-ବାଣୀ

 

ବାଞ୍ଛାନିଧି,

 

ଉଚ୍ଛ୍ୱାସ-ଉଦ୍‌ବେଳିତ, ସୁବୋଧ୍ୟ, ସହଜ ,ସରଳ ଓ ଓଜସ୍ୱିନୀ ଭାଷାରେ ତୁମେ ଯେ ବାଣୀ-ଦେବୀଙ୍କ ଆରାଧନା ଆରମ୍ଭ କରିଛ, ସେଇ ବାଣୀ-ବରଦାଙ୍କ ଶୁଭଦୃଷ୍ଟି ଓ ଆର୍ଶୀବାଦରେ ତମର ଉଚ୍ଚଭାବ ଜନସାଧାରଣରେ ଆଦୃତ ହେଉ ଏବଂ ଏ ଜାତି ଓ ଦେଶକୁ ଉଦ୍‌ବୁଦ୍ଧ କରୁ–ଏହାହିଁ ଏକାନ୍ତ କାମନା ।

ହରିହର ଦାସ

ସତ୍ୟବାଦୀ, ତା ୪-୩-୪୬

Image

 

ଉତ୍କଳ ମୌଳିକ ଜାତୀୟ ଶିକ୍ଷାଅନୁଷ୍ଠାନର ପରିଚାଳକ

ଶ୍ରୀଯୁକ୍ତ ଶରତ୍‌ଚନ୍ଦ୍ର ମହାରଣା ଲେଖିଛନ୍ତି–

 

‘‘ଶ୍ରଦ୍ଧେୟ ତରୁଣ କବି ଶ୍ରୀବାଞ୍ଛାନିଧି ବାବୁଙ୍କର ପାଣ୍ଡୁ ଲିପିଗୁଡ଼ିକ ପଢ଼ିବାର ଓ ଆଲୋଚନା କରିବାର ସୁଯୋଗ ଆମ୍ଭମାନଙ୍କ ମୌଳିକ ଶିକ୍ଷାକ୍ଷେତ୍ରରେ ଘଟିଥିଲା । ତାଙ୍କର କବିତା ଓ ସଂଗୀତରେ ଆମମାନଙ୍କର ସାନ ସାନ ବାଳକବାଳିକା ଏତେ ଆନନ୍ଦ ପାଇଛନ୍ତି ଯେ ଅନେକ ସମୟରେ ସ୍ୱେଛାରେ ସେମାନେ ଆବୃତ୍ତ କରୁଥାନ୍ତି । ଲେଖାଗୁଡିକ ଏଡ଼େ ସରଳ, ସ୍ୱଭାବସୁଲଭ, ଉଚ୍ଚଭାବନାଯୁକ୍ତ ଓ ପ୍ରସାଦଗୁଣ ବିଶିଷ୍ଟ ଯେ ଓଡିଆ ବାଳ-ସାହିତ୍ୟରେ ସେ ଗୁଡିକ ବିଶିଷ୍ଟ ସ୍ଥାନ ପାଇବ । ଏ ଗୁଡିକ ସର୍ବସାଧାରଣରେ ଆଦୃତ ହେବାର ଦେଖିଲେ ମୁଁ ଆନନ୍ଦତ ହେବି ଓ ଲେଖକ ଉତ୍ସାହିତ ହୋଇ ଭବିଷ୍ୟତ ବାଣୀଆରାଧନାର ସୁଯୋଗ ପାଇବେ ।’’

ଶରତ୍‌ଚନ୍ଦ୍ର ମହାରଣା

ମୌଳିକ ଶିକ୍ଷା କେନ୍ଦ୍ର, ୨୪-୨-୪୬

Image

 

ଉତ୍କଳର ସର୍ବଶ୍ରେଷ୍ଠ ସାହିତ୍ୟିକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଭିମତ–

 

ଶ୍ରୀମାନ୍ ବାଞ୍ଛାନିଧି ଦାସ ଜଣେ ଉଦୀୟମାନ କବି । ତାଙ୍କ କବିତା କେବଳ ସୁପାଠ୍ୟ ନୁହେ, ସେଥିରେ ବିଷୟଠାରୁ ଲେଖନଭଙ୍ଗୀ ପର୍ଯ୍ୟନ୍ତ ସବୁଥିରେ ନୂତନତା ଅଛି । ଏବେ ଜାତୀୟ ଜୀବନରେ ଗାନ୍ଧିବାଦ ବୋଲି ନୂତନ ବିଭାବଟିଏ ଫୁଟିଚି; ସାହିତ୍ୟ ବିଶେଷତଃ କବିତାରେ ତା ପ୍ରକାଶ ପାଇବା କମ୍ ଦେଖାଯାଏ । ସରସ ସୁନ୍ଦର ଭାବରେ ବାଞ୍ଛାନିଧିଙ୍କ କବିତାରେ ତାର ପ୍ରକାଶ ଦେଖିଲେ ସୁଖ ଲାଗେ । ବାଞ୍ଛାନିଧି ଏଥିରେ କ୍ରମିକ ବିକାଶରେ ଚଢ଼ନ୍ତୁ ।

 

ନବଭାରତ ପ୍ରେସ

ନୀଳକଣ୍ଠ ଦାସ

କଟକ

୨୪-୪-୪୨

Image

 

ସମାଜର ସମ୍ପାଦକ ଓ ଲୋକ ସେବକ ସମାଜର ସଭ୍ୟ

ଶ୍ରୀଯୁକ୍ତ ରାଧାନାଥଙ୍କ ଅଭିମତ : –

 

ତରୁଣ କବି ଶ୍ରଦ୍ଧେୟ ଶ୍ରୀମାନ୍ ବାଞ୍ଛାନିଧିଙ୍କ ରଚିତ ‘ବାଳ-ପ୍ରଭାତୀ’ର କବିତା ଗୁଡ଼ିକ ପଢ଼ି ମନେ ହେଲା, ପୁଣି ସେହି ଗାଆଁ ଗହଳକୁ ଫେରିଯାନ୍ତି– ପୁଣି ପିଲା ହୋଲ ଏହି ସଂଗୀତଗୁଡ଼ିକ ଗାଇ ସ୍ୱାଧୀନ ରାଜ୍ୟର ସେବକ-ଶିକ୍ଷାର୍ଥୀରୂପେ ନୂଆ କରି ଜିବନ ଆରମ୍ଭ କରନ୍ତି-। ମୋର ମନେ ହୁଏ–ଏ କବିତାରେ ଗ୍ରାମ୍ୟ ଜୀବନର ସରଲତା, ସ୍ୱାଭାବିକତା ଓ ମୌଲିକତା ଯେପରି ଫୁଟିଚି,ପ୍ରାକୃତିକ ସରସ-ମଜ୍ଞୁଳ ବେଷ୍ଟନୀର ଚାରୁଚିତ୍ର ସଙ୍ଗେ ସଙ୍ଗେ ସ୍ୱାଧୀନ ଅଧିବାସୀର ବାଲ୍ୟଜୀବନର ଅଭିବ୍ୟକ୍ତି ସେହିପରି ରୂପ ପାଇଛି । କବି ବନ୍ଧୁଙ୍କୁ ମୁଁ ମୋର ସ୍ନେହାଶୀର୍ବାଦ ଜଣାଉଛି । ଏ ଦେଶର ଶିଶୁ ଏହି ଆଦର୍ଶରେ ଗଠିତ ହେଡ–ଏହି ଗୌରବରେ ଗର୍ବିତ ହେଉ ।

 

ରାଧାନାଥ ରଥ

ତା ୯-୪-୪୨

Image

 

ସୂଚୀପତ୍ର

 

୧.

ପ୍ରାର୍ଥର୍ନା

୨.

ବାଳ-ମିନତି

୩.

ପ୍ରଭାତୀ ବନ୍ଦନା

୪.

ସାନ୍ଧ୍ୟ-ଗୀତି

୫.

ପଟୁଆର ଗୀତ

୬.

ପ୍ରଭାତଫେରୀ

୭.

ଶୋଭାଯାତ୍ରା ସଙ୍ଗୀତ

୮.

ଭଲ ପିଲା

୯.

ମୋ ଜନମ ଭୁଇଁ

୧୦.

ଝଣ୍ଡା-ବନ୍ଦନା

୧୧.

ନୂଆ ଯୁଗର ଛୁଆ

୧୨.

ଆଦର୍ଶ ପିଲା

୧୩.

ଚାଲଯିବା ଚାଟଶାଳୀ

୧୪.

ଚାଟଶାଳୀ ବାହୁଡ଼ା

୧୫.

କର୍ମ ଗୀତିକା

୧୬.

ଗତି-ପରୀକ୍ଷା

୧୭.

ଅଭ୍ୟାସ କଟେଇ

୧୮.

ବଗିଚା କାମ

୧୯.

ପ୍ରାକୃତିକ ସଙ୍ଗୀତ

୨୦.

ଶୀତଦିନେ

୨୧.

ପହିଲି ବସନ୍ତେ

୨୨.

ଖରାଦିନେ

୨୩.

ବର୍ଷାଦିନେ

୨୪.

ଡଙ୍ଗାଖେଳ ଗୀତ

Image

 

ପ୍ରାର୍ଥର୍ନା

 

ଭଲ ବାଟ ମୋତେ ଦେଖାଅ ତମେ ଉଢ଼ାଳେ ଥାଇ

ଦାଉ ଧକ୍କା ଯେତେ ଆସିବ ସବୁ ଯିବି ଏଡ଼ାଇ ।

ସତ ମିଠା ବୋଲି ଦିଅ ହେ ସଦା ତୁଣ୍ଡରେ ମୋର

ଦେଶ ଦୁନିଆର କାମେ ନ ମଣେ ଆପଣା ପର ।

ଦୁଃଖୀ ରଙ୍କୀ ଶୋଷୀ ସକାଶେ ଝରୁ ଆଖିରୁ ପାଣି

ତାଙ୍କ ସେବା ଲାଗି ସାହସ ବଳ ଦିଅ ହେ ଆଣି ।

ସମ୍ପଦେ ନ ହୁଏ ବିଭୋର ବିପଦରେ ଅଧୀର

ସତ ଲାଗି ଛାତି ପାତେ ମୁଁ କଟୁ ପଛେ ମୋ ଶିର ।

ଟଙ୍କା, ସୁନା, ପଉରୁଷକୁ ମନ ନ ବଳୁ ତିଳେ

ନତ କର ସଦା ମୋ ମଥା ତମ ଚରଣ ତଳେ ।

Image

 

ବାଳ-ମିନତି

 

ସକାଳ ହୋଇଲେ ପୂରୁବେ ହସଇ

ନାଲିଆ ସୂରୁଯ ଗୋଟି,

ସଞ୍ଜ ହେଲେ ନୀଳ- ଆକାଶରେ ଟିକି

ତାରା ଚାହେଁ ମିଟିମିଟି

ପୁନେଇ ରାତିରେ ରୂପା ଥାଲି ପରି

ହସଇ ପୁନେଇ ଜହ୍ନ

ଜକ ଜକ ଦିଶେ ତାହାରି ଆଲୁଏ

ଗାଆ,ନଈ,ବିଲ,ବଣ ।

ଫୁଲବଗିଚାରେ କି ସୁନ୍ଦର ହସ

ହସେ ଟିକି ଫୁଲ କଢି,

ମେଘ ତଳେ ତଳେ ବିଜୁଳି ହସଇ

ତାଳି ଦିଏ ଘଡ଼ଘଡ଼ି

କିଏ ତମ ବିନା ଗଢ଼ିବ ହେ ପ୍ରଭୂ

ହସର ସଂସାର ଗୋଟି,

ତମେ ଯଦି ଏକା ହସ ଭଗବାନ

ହସୁଥାନ୍ତି କୋଟି କୋଟି ।

ମୋର ଟିକି ଓଠେ ହସ ଫୁଟାଇଛ

ବୁକୁତଳେ ମୋର ଥାଇ,

ଯେଉଁ କାମ କରେଁ ଆଗ ଯିବି ତମ

ନାମେ ଜୟଗୀତି ଗାଇ ।

Image

 

ପ୍ରଭାତୀ ବନ୍ଦନା

 

ରାତି ଅନ୍ଧାର ଏବେ ତ ଗଲାଚାଲି

ଏବେ ପୂରୁବ-ଆକାଶ ଦିଶେ ନାଲି ।

ନୂଆ ପ୍ରଭାତେ ପ୍ରଭୁ ହେ ମୋ ମିନତି,

ଦିଅ ନୂଆ ବଳ ତେଜ ଧୀର ମତି ।

ତମ କଲ୍ୟାଣେ ବହଇ ଧୀର ବାଆ

କୁଆ ପହିଲେ ଡାକଇ କାଆ କାଆ ।

ନୁଆ ତେଜେ ଜାଗେ ନର ପଶୁ ପକ୍ଷୀ,

ଦିଅ ନୂଆ ତେଜ ବଲ ଧୀର ମତି ।

ରଙ୍ଗ ରଙ୍ଗିଆ ସୂରୁଯ ଅଲୋକରେ,

ହସି ଉଠଇ ସଂସାର ଆନନ୍ଦରେ ।

ତମ କଲ୍ୟାଣେ ତାର ତେଜ, ଶକତି

ଦିଅ ନୂଆ ତେଜ,ବଳ,ଧୀର ମତି ।

ସୁମରି ତୁମରି ମଙ୍ଗଳ ନାମଟି

ବିତି ଯାଉ ପ୍ରଭୋ ! ଏସାରା ଦିନଟି ।

 

ଦେଶ ଦୁନିଆର ହିତେ ମୋ ମିନତି,

ଦିଅ ନୂଆ ତେଜ ବଲ ଧୀର ମତି ।

Image

 

ସାନ୍ଧ୍ୟ-ଗୀତି

 

ମାଆ କୋଳକୁ ଗଲେଣି ସୂରୁଯ,

ପଶ୍ଚିମରେ କେତେ ରଙ୍ଗ ମୁରୁଜ !

ବିଞ୍ଚି ହୋଇଛି ସାରା ଆକାଶଟା,

ସୁଲୁସୁଲୁ ବହଇ ବତାସଟା ।

ଦଳ ଦଳ ଉଡ଼ିଯାନ୍ତି ଚଢ଼େଇ,

କେତେ ଦୂର ପାହାଡ଼ ବଣ ଡେଇଁ ।

ମନ ମଉଜେ କେତେ ଗୀତ ଗାଇ,

ନିଜ ବସାକୁ ଫେରୁଛନ୍ତି ଧାଇଁ ।

ମିଟି ମିଟି ଚାହିଁଲାଣି ତାରାଟି,

ଏବେ ଅନ୍ଧାର ଆସିଲା ପରାଟି ।

ଭାଇ ଭାଉଣୀ ଏବେ ଆସ ମୋର

ବେଳ ହେଲାଣି ନ କର ଉଛୁର ।

ମିଳି ପ୍ରଭୁଙ୍କୁ ଜଣାଣ କରିବା

ସର୍ବେ ଗୋଟିଏ କଣ୍ଠରେ କହିବା:–

‘ପ୍ରଭୁ ! ଦିବସ କାମେ ଶେଷେ ଆମେ,

ସର୍ବେ ଜଣାଣ କରୁ ତବ ନାମେ ।

ଆଜି ଦିନରେ ଯେ କାମ କରିଛି,

ଭଲ ମନ୍ଦ ଯାହା ତହିଁ ରହିଛି ।

ଭଲ କାମେ ମନ ଧାଉଁ କାଲିକି,

ଦୁଃଖ ଆସୁ–ମନ୍ଦ କଲି କାହିଁ କି ?

କାଲି ପାଇଁ ମନରେ ଦିଅ ବଳ,

ପ୍ରଭୁ ! ସଞ୍ଜରେ ଭିକ୍ଷା ପଦତଳ ।’’

Image

 

ପଟୁଆର ଗୀତ

(୧)

ଆମେହିଁ ଗଢ଼ିବୁ ଦେଶ,

ଆମେ ଏ ଦେଶର ଆଗୁଆ ସୈନ୍ୟ, ଆମେହିଁ ଗଢ଼ିବୁ ଦେଶ;

ଆମରି ହାତେ ଫେରାଇ ଆଣିବୁ ସୁନାର ଭାରତବର୍ଷ

ଆମେହିଁ ଗଢ଼ିବୁ ଦେଶ ।

(୨)

ଜନ୍ମଭୂମିର ସେବାଧର୍ମ, କର୍ମ ଆମର ଶିକ୍ଷା;

ରକ୍ତେ ରକ୍ତେ ଜନ୍ମଭୂମିର ମୁକ୍ତିମନ ଲେଖା ।

କର୍ମ ଆମର ଶିକ୍ଷା ।

(୩)

ରାତ୍ରୀ ଶେଷେ, ଯାତ୍ରୀ ଆମେ,

ତୋଳିବୁଁ ମୁକ୍ତିସୂର୍ଯ୍ୟ,

ଜାତିର ମୁଖୁଁ ଅଶ୍ରୂ ପୋଛିବୁଁ ଫୁଟାଇ ନବୀନ ହର୍ଷ ।

ଆମେହିଁ ଗଢ଼ିବୁ ଦେଶ ।

Image

 

ପ୍ରଭାତଫେରୀ

(୧)

ଦେଶେ ଆମେ ନୂଆ ଫଉଜ ଦଳ,

ହାତେ ନାହିଁ ତୋପ ବନ୍ଧୁକ ବଳ,

ଛାତି ହାତେ ଯେବେ ଆମରି ବଳ,

ତେବେ ଆଉ କିଆଁ ଡର–

ଚାଲ ରେ ଚାଲ ରେ ଚାଲ.....

(୨)

ଆମ ସରକାର ଆମେ ଗଢ଼ିବା,

ଆମ ଦେଶ ଆମେ ନିଜେ ଶାସିବା,

ଦରିଆ ସେପାରି ମାଲିକଦଳ,

ନାହିଁ ଆମ ଦରକାର ।

ଚାଲ ରେ ଚାଲ ରେ ଚାଲ.....

(୩)

ହାସଲ କରିବା ଆମରି ଦାବୀ,

ଫେରାଇ ଆଣିବା ଆମରି ଚାବି,

ସେଥି ଲାଗି ପଛେ ମରଣ ଆସୁ,

 

ହସି ହେବା ଆଗଭର ।

ଚାଲରେ ଚାଲରେ ଚାଲ୍.....

Image

 

ଶୋଭାଯାତ୍ରା ସଙ୍ଗୀତ

 

ଆମେ ଭାରତଭୂଇଁ ଛୁଆ,

ଏଇ ଦେଶକୁ ଗଢ଼ିବୁଁ ଆମେ ଆମରି ହାତେ ନୂଆ ।

ଯେଉଁ ଦେଶର ପଦଧୂଳି ଦରିଆ ଦିଏ ଧୋଇ

ହିମାଳୟ ମୁକୁଟ ଯାର–ଗଙ୍ଗା ସିନ୍ଧୁ ନଈ ।୧।

ଯେଉଁ ଦେଶର ଭୂଇଁ ଦିଏ ସୁନାର ଫୁଲ ଫଳ

କେଡ଼େ ଶୀତଳ ବାଆ ବହେ–କେଡ଼େ ମିଠା ଜଳ

ଆମେ ଭାରତଭୂଇଁ ଛୁଆ,

ଏଇ ଦେଶକୁ ଗଢ଼ିବୁ ଆମେ ଆମରି ହାତେ ନୂଆ ।

ଯେଉଁ ଦେଶର ଚଷାପୁଅ ଲଙ୍ଗଳ ଗୋଟା ଧରି,

ଦୁନିଆଟାକୁ ବାଣ୍ଟଇ ପଡି ମାଟିର ବୁକୁ ଚିରି ।

ଆମେ ଭାରତଭୂଇଁ ଛୁଆ,

ପଥରେ କରେ ଛୁଞ୍ଚିର କାମ ଯେ ଦେଶ କାରିଗର,

ତାଜମହଲ, କୋଣାରକ, ଦୁନିଆ ଚମତ୍କାର ।

ଆମେ ଭାରତଭୂଇଁ ଛୁଆ,

ଯେଉଁ ଦେଶର ପୋଥି ପୁରାଣେ ଭରା ବୀର କଥା

ଯେ ଦେଶ ପୁରୁ ନୁଆଁଏ ନାହିଁ ଶତ୍ରୁ ପଦେ ମଥା ।

ଆମେ ଭାରତଭୂଇଁ ଛୁଆ,

ଯେ ଦେଶ ଝିଅ ଦୁର୍ଗାବତୀ ଶତ୍ରୁ ସାଥେ ଯୁଝେ,

ଗାନ୍ଧି ବୁଢ଼ା ପୁଅ ଯାର ଦୁନିଆ ଗୋଟା ପୂଜେ ।

ଆମେ ଭାରତଭୁଇଁ ଛୁଆ,

ସୁନାରେ ମୋର ଭାରତ ଗଢ଼ା ରଖିବି ତାର ଟେକ

ନାହିଁ ତିଳେ ଆମରି ଡର ପଛକେ ଯାଉ ବେକ ।

Image

 

ଭଲ ପିଲା

(୧)

ଆମେ ନୂଆ ଯୁଗଟାଏ ଗଢ଼ିବୁଁ

ନୂଆ ପାଠପଢ଼ି ତାହାରି ଆଲୁଏ ଦୁନିଆ ଆଲୁଅ କରିବୁଁ ।

ଅଧା ପେଟପୁରା ଚାଷୀ ମୁଲିଆର ଛୁଆ ଆମେ ପଣ କରିବୁଁ,

ବିଦେଶୀ ଶାସନ ଗୋଲାମୀ ପାଠକୁ ଆମ ରାଇଜରୁ ତଡିବୁଁ ।

ଆମେ ନୂଆ ଯୁଗଟାଏ ଗଢ଼ିବୁ,

ନୂଆ ପାଠପଢ଼ି ତାହାରି ଆଲୁଏ ଦୁନିଆଁ ଆଲୁଅ କରିବୁ ।

(୨)

ଆମରି ଲଙ୍ଗଳେ ଆମ ମାଟି ତାଡ଼ି ଆମ ଭାତ ଲୁଗା କରିବୁଁ,

ଆମରି ପୂରୁବ ପୁରୁଷଙ୍କ ବାଟ ଧରି ଆମେ ବାଟ ଚାଲିବୁଁ,

ଯେଉଁ ପାଠ କରେ ନିକମା ଏ ଦେଶ ଦରିଆ ସେପାରି କରିବୁଁ,

ଗାନ୍ଧି ବୁଢ଼ା ଯେଉଁ ବାଟ ଦେଖାଇଛି ସେହି ବାଟେ ପାଠ ପଢ଼ିବୁାଁ

ଆମେ ନୂଆ ଯୁଗଟାଏ ଗଢ଼ିବୁଁ,

ନୂଆ ପାଠପଢ଼ି ତାହାରି ଆଲୁଏ ଦୁନିଆଁ ଆଲୁଅ କରିବୁ ।

(୩)

ନାହିଁ ଆମ ଭେଦ ହିନ୍ଦୁ-ପଠାଣ ସରବେ ମିଳିଣ ଚଲିବୁଁ ।

ଏକ ଦେଶ ମାଆ ପୁଅ ଝିଅ ଆମେ କାହିଁ ପାଇଁ କଳି କରିବୁଁ,

ସବୁଦେଶ ସବୁ ଜାତିର କାନ୍ଧରେ ହାତଦେଇ ବାଟ ଚାଲିବୁଁ,

ନୋହୁଁ ଆମେ ହୀନ ଆମ ବଡ଼ପଣ ଜଗତେ ଜାହାରି କରିବୁଁ ।

ଆମେ ନୂଆ ଯୁଗଟାଏ ଗଢ଼ିବୁ,

ନୂଆ ପାଠପଢ଼ି ତାହାରି ଆଲୁଏ ଦୁନିଆଁ ଆଲୁଅ କରିବୁ ।

(୪)

ଆମ ଦେଶ ପୁଅ ଧରମାର ପରି ଅମାଧ୍ୟ ସାଧନ କରିବୁଁ,

ଦରିଆରେ ସିଏ ଦେଉଳ ତୋଳିଲା ଆମେ କିଆଁ ହୀନ ହୋଇବୁଁ?

ସବୁ ବାଧା ପରେ ଦୁନିଆଁ ଆଗରେ ନୂଆ କୋଠାଘର ତୋଳିବୁଁ

ଆମ ପଛେ ପରା ପ୍ରଭୁ ଭଗବାନ ତାଙ୍କ ଯଶଗୁଣ ଗାଇବୁଁ ।

(୫)

ଆମଦେଶ ପୁଅ ଧରମାର ପରି ଅସାଧ୍ୟ ସାଧନ କରିବୁଁ,

ଦରିଆରେ ସିଏ ଦେଉଳ ତୋଲିଲା ଆମେ କିଆଁ ହୀନ ହୋଇବୁଁ?

ସବୁ ବାଧା ପରେ ଦୁନିଆଁ ଆଗରେ ନୁଆଁ କୋଠାଘର ତୋଳିବୁଁ,

ଆମ ପଛେ ପରା ପ୍ରଭୁ ଭଗବାନ ସଶଗୁଣ ଗାଇବୁଁ ।

Image

 

ମୋ ଜନମ ଭୁଇଁ

(୧)

ରାଜରାଣୀ ମୋର ଜନମଭୂଇଁ,

ପାରାବାର ଲୋଟେ ଚରଣ ଛୁଇଁ,

ବରଣ କରଇ ଲହରୀ-ମାଳାରେ

ଯଶଗାଥା ତାର ନିରତେ ଗାଇ ।

(୨)

ଶିରେ ହିମାଳୟ ମୁକୁଟ ତାର,

ହୀରା ଜକଜକ ଧଳା ତୁଷାର ,

ସିନ୍ଧୁ-ମନ୍ଦାକିନୀ-କାବେରୀ-ନର୍ମଦା-

ମହାନଦୀ ତାର ଗଳାରେ ହାର ।

(୩)

ବିନ୍ଧ୍ୟ ପର୍ବତ ତା କଟିମେଖଳା,

ରୁଣୁ ଝୁଣୁ ଝୁଣୁ ପ୍ରପାତ–ମାଳା,

ନାନାରଙ୍ଗ ଫୁଲ ପତର ଶାଢ଼ୀରେ

ହସେ ମୋ ମାଆ ସୁଜଳାସୁ ଫଳା

 

(୪)

ଜଗତରେ କାହଁ ମୋ ଦେଶ ସରି

ସୁନ୍ଦର ମନ୍ଦର ରହିଛି ଭରି ?

ଧର୍ମ-କର୍ମ-ଯଶ-କୀରତି-ବିଭବେ

ନାହଁ କେଉଁ ଦେଶ ଯିବରେ ବଳି ।

(୫)

କୋଣାରକ ତାଜମହଲ ପରି

ନାହିଁ ନ ମିଳିବ ଦୁନିଆଁ ଭରି

କଳା କଉଶଳେ ଅଛି କେ ଜଗତେ

ମୋ ଭାରତଠାରୁ ଯିବରେ ବଳି ?

(୬)

କବି,ଚିତ୍ରକର, ବୀର ଜନନୀ

ସକଳ ଧର୍ମର ପବିତ୍ର ଖଣି

ବିଶ୍ୱଜନତାର ପଥପ୍ରଦର୍ଶକ

ମୋ ଜନମଭୂଇଁ ସନ୍ତାନ-ମଣି ।

 

(୭)

ବୀର ଜନନୀର ସନ୍ତାନ ମୁହିଁ

ଜଗତେ ମୋ ଭୀତି କାହାକୁ ନାହିଁ

ଉଡ଼ାଇବି ତାର ପବିନ୍ତ୍ର ନିଶାଣ

ହିମାଚଳଶିରେ ଦରପେ ଡେଇଁ ।

Image

 

ଝଣ୍ଡା-ବନ୍ଦନା

 

ଏ ମାଟି ଆମ ଜନମଭୂଇଁ ଏଇ ପତାକା ତାର,

ଏଇ ପତାକା ଦିଅଁ ଦେବତା ଆଗ ତା ନମସ୍କାର ।

ଏହାର ତଳେ ହୋଇବୁଁ ରୁଣ୍ଡ ମୂଲକ ଯାକ ଯେତେ,

ଗୋଟିଏ ମାଆ ପିଲାରେ ଆମେ ହେଉ ପଛକେ ଯେତେ ।

ଭୁଲିବୁଁ ଆମେ ବ୍ରାହ୍ମଣ, ପାଣ ପଠାଣ ଅହଙ୍କାର,

ଏଇ ପତାକା ଦିଅଁ ଦେବତା ଆଗ ତା’ ନମସ୍କାର ।

ଏଇ ଆମର ମନରେ ଦିଏ ନୂଆ ସାହସ ବଳ,

ନୁଆ ସୂରୁଯ ଆସିବ ଉଇଁ ଏଇ ପତାକା ତଳ ।

ଏହାରି ଲାଗି ଛୁଟେ ଏ ଜାତି–ତାତିଲା ଲହୁ-ଧାର,

ଏ ମାଟି ଆମ ଜନମ ଭୂଇଁ ଏଇ ପତାକା ତାର ।

ଆସିବ କେତେ ବାଆ ବତାସ ଏଇ ପତାକା ପାଇଁ,

ମରିବୁ ପଛେ ଡରିବୁ ନାହଁ ଏଇ ପତାକା ଚାହିଁ

ତଳେ ଲୋଟାଇ ନ ଦେବୁଁ ଆମେ ରଖିବୁଁ ମାନ ତାର,

ଏଇ ପତାକା ଦିଅଁ ଦେବତା ଆଗ ତା’ ନମସ୍କାର ।

Image

 

ନୂଆ ଯୁଗର ଛୁଆ

 

ଏଇ ଦେଶ ଛୁଆ ଆମେ ନୂଆ ପାଠପଢ଼ି

ନୂଆ କଥା, ନୁଆ ଚିଜ ଯିବୁ ଆମେ ଗଢ଼ି ।

ଭଙ୍ଗା ଘର କାଠକୁଟା ଅଛି ଯାହା ଦଢ଼

ତାକୁ ନେଇ ତୋଳିଯିବୁ ଆମେ ନୂଆ ଘର ।

ଆମ ଢାଞ୍ଚା ମୂଳଦୁଆ ନ ଥିବଟି ଯେବେ

ଚୋରି ଚିଜ ବୋଲି ଲୋକେ ଖୁଣ୍ଟା ଦେବେ ତେବେ ।

ସେଇ ଦେଶ ଛୁଆ ଆମେ ଯାର ବାପ ଅଜା

ବୋଇତକୁ କରି ମାଲ ମସଲାରେ ସଜ୍ଜା

ଯାଉଥିଲେ ଦରିଆରେ ଦୂର ରାଇଜକୁ

ଆମେ କିଆଁ ହୀନ ବୋଲି ମଣିବୁ ନିଜକୁ ?

ଆମେ କିଆଁ ନ ଗଢ଼ିବୁଁ ଜଳସ୍ଥଳ ଯାନ,

ଆକାଶରେ ଉଡ଼ିବାକୁ ନୂଆ ବ୍ୟୋମଯାନ,

ରାମାୟଣେ ପଢ଼ିଅଛୁଁ ରାମଚନ୍ଦ୍ର ବୀର

ପୁଷ୍ପକ ବିମାନେ ଗଲେ ଜିଣି ଦଶଶିର ।

ଆମ ଦେଶେ ଅରଜୁନ ଭୀମ ମହାବଳୀ

ଆମେ କିଆଁ ନ ହୋଇବୁଁ ବୀର ତାଙ୍କ ଭଳି ?

ସତ ଲାଗି ପାତୁଥିଲେ ସେ ବୀରେ ତ ଛାତି

ହୀନ କି ହୋଇବୁଁ ଆମେ ତାଙ୍କ ପୁଅନାତି?

ଆମ ବ୍ୟାସ ବାଲମିକୀ କାଳିଦାସ ରବି

ଲେଖିଗଲେ କେତେ ପୋଥି ହୋଇ ମହାକବି ।

ଆମେ କିଆଁ ନ ଲେଖିବୁ ? ତାଙ୍କ ଲୁହଧାର–

ବହୁଅଛି ପରା ଆମ ଶିରା ପ୍ରଶିରାର?

କାରିଗରପଣେ କହ କିଏ ଯିବ ବଳି,

ବାରବର୍ଷ ପିଲା ଆମ ଧର୍ମପଦ ଭଳି

ଗଢ଼ିବ,କେ କୋଣାରକ କହ କେଉଁ ଜାତି ?

ତାଜମହଲ ପରି କୀର୍ତ୍ତି ଯାତୁ ଦେଖି ଛାତି ।

ଆମ ଦେଶ ପ୍ରହଲାଦ, ଧ୍ରୁବ,ବୁଦ୍ଧ ସମ

ଦୁନିଆରେ ଭକ୍ତ କାହିଁ ଦେଖୁ କେତେ ଜଣ ?

ପର ପାଇଁ ନିଜ ହାଡ଼ କିଏ ଦେବ କାଟି ?

ଆମ ଦେଶେ ସେ ପୁଅଟି ଦଧିଚି ନାଆଁ ଟି ।

ତାଙ୍କ ପୁଅ ନାତି ଆମେ ସେ ବୀରଙ୍କ ପରି

ବଡ ହେବୁଁ ଦୁନିଆରେ ଭଲ କାମ କରି ।

ଯେଉଁ ଦେଶ ଝିଅ ସୀତା,ସାବିତ୍ରୀ,ପଦ୍ମିନୀ

ଚମକ୍ ଦେଲା ଲକ୍ଷ୍ମୀ ପରା ଝାନସୀ୍–ଦେଶ ରାଣୀ ।

ଦେଖ ଆଜି ଟଳମଳ ଅଜବ କଲା ଧରା

ଏଇ ଦେଶ ବୀରପୁଅ ସୁଭାଷଚନ୍ଦ୍ର ପରା !

ଯେଉଁ ଦେଶ ଗାନ୍ଧିବୁଢ଼ା ପାଦ ତଳେ ପରା

ବଳେ ବଳେ ନୁଏଁ ମଥା ଦୁନିଅଟା ସାରା,

ସେଇ ଦେଶ ଛୁଆ ଆମେ ନୂଆ ପାଠପଢ଼ି

ବଡ ହେବୁଁ ଦୁନିଆରେ ଭଲ କାମ କରି ।

Image

 

ଆଦର୍ଶ ପିଲା

 

ପାଠ ପଢ଼ିବି, ପାଠପଢ଼ିବି,

ଭଲ ମନ୍ଦ ମୁଁ ବାରି ଶିଖିବି,

ଯେଁଉଟି ଭଲ ସେଇ ବାଟକୁ

ବଢ଼ାଇ ଦେବି ପାଦ,

ସାର ଟିକକ ବାଛି ମୁଁ ନେବି

ପକାଇ ଦେବି ଖାଦ ।

 

ନୂଆ ଜାଣିବି, ନୂଆ ଶିଖିବି,

ନୂଆ କଥା ମୁଁ ମନେ ରଖିବି,

ଯେଉଁ କାମଟି ଲାଗିବ ଭଲ

ଲଗାଇ ଦେବି ମନ

ନ ଦେବି ଛାଡି ଆସିଲେ ବାଧା

ଯାହା କହନ୍ତୁ ଜନ ।

 

ବଡ ହୋଇବି, ବଡ ହୋଇବି ,

ଭଲ ମଣିଷେ ଗଣା ହୋଇବି ,

ଏତିକି ଥାଉ ଢମ ବଡ଼ିମା

ନ ଆସୁ ମୋର ତିଳେ,

ସବୁ ଲୋକଙ୍କ ସାଙ୍ଗରେ ମୁହିଁ

ମିଶିବି ବଳେ ବଳେ ।

 

ମଲେ ମରିବି ମଲେ ମରିବି

ଜୀବନ ଲୋଭେ ଡରି ନ ଯିବି ।

ହକ କଥାକୁ ପାତିବି ଛାତି

କଟିବ ପଛେ ମଥା,

ସବୁ କାମର ଆଗେ ରଖିବି

ଦେଶ ଜାତିର କଥା ।

Image

 

ଚାଲଯିବା ଚାଟଶାଳୀ

 

ସକାଳ ହୋଇଲା ସୁନ୍ଦରା ଫାଟିଲା

କୁଆ ଉଡ଼େ କାଆ ଗାଇ,

ଲଙ୍ଗଳ-ଜୁଆଳିକାନ୍ଧେ ଗୀତ ଗାଇ

ବିଲେ ଛୁଟେ ଚଷାଭାଇ ।

 

ଯେ ଯାହା ଧନ୍ଦାରେ ସବୁ ତ ଚାଲିଲେ

ଆମେ କିଆଁ ଥିବା ବସି ?

ଆସ ମୋ ଭଉଣୀ, ଆସ ମୋର ଭାଇ,

ଚାଟଶାଳୀ ଯିବା ହସି ।

 

ଭଲ ପାଠପଢ଼ି ଦେଶ-ଦୁନିଆର

କରିବା ମଙ୍ଗଳ କାମ,

ବାପ ମାଆ, ସାଇଭାଇ ଖୁସି ହେବେ

ପ୍ରଭୁ କରିବେ କଲ୍ୟାଣ ।

Image

 

ଚାଟଶାଳୀ ବାହୁଡ଼ା

 

ଗୁରୁଜି ! ନମସ୍କାର,

ବେଳ ବୁଡ଼ିଲା, ପଢ଼ା ସରିଲା ଚାଲିଲୁ ଏବେ ଘର ।

ଗୁରିଜି ! ନମସ୍କାର ।

ଗାଁ ସେପଟୁ ଉଡ଼ିଆସନ୍ତି ଚଢ଼େଇ ଦଳ ଦଳ ।

ଆକାଶ ଗୋଟା ବୁଲି ବୁଲି ସୂର୍ଯ୍ୟ ଦିଶେ ଲାଲ୍ ।

ଗୁରୁଜି ! ନମସ୍କାର,

ବେଳ ବୁଡ଼ିଲା, ପଢ଼ା ସରିଲା ଚାଲିଲୁ ଏବେ ଘର ।

ଗୁରୁଜି ! ନମସ୍କାର ।

କ୍ଷେତରୁ ଫେରେ ଚଷା ଭାଇ କାନ୍ଧରେ ଲଙ୍ଗଳ ,

ମନଫୁଲାଣିଆ ଗୀତଟି ତାର କେଡ଼େ ସୁମଧୁର ।

ଗୁରୁଜି ! ନମସ୍କାର,

ବେଳ ବୁଡ଼ିଲା, ପଢ଼ା ସରିଲା ଚାଲିଲୁ ଏବେ ଘର ।

ଗୁରୁଜି ! ନମସ୍କାର ।

ନାଚି ନାଚି ଯିବା ଆସ ଭାଇ ଭଉଣି ମୋର ,

ମାଆ ଥିବେ ବାଟ ଚାହିଁ ନ କର ଉଛୁର ।

ଗୁରୁଜି ! ନମସ୍କାର,

ବେଳ ବୁଡ଼ିଲା, ପଢ଼ା ସରିଲା ଚାଲିଲୁ ଏବେ ଘର ।

ଗୁରୁଜି ! ନମସ୍କାର ।

Image

 

କର୍ମ ଗୀତିକା

(ଟକଲୀଘୁରାଇବା)

(୧)

ଖେଳ ମୋ ଟକଲୀ, ଚକାଭଉଁରୀ

ଘୁରୁ ଘୁରୁ ଘୁରୁ ଯାଆ ରେ ଘୁରି ।

ଘୁରୁ ଘୁରୁ ନାକଭିତରୁ ତୋର ।

କେଡ଼େ ସରୁ ସୂତା କରୁ ବାହାର ।

ଧୋବ ଫରଫର ବଳଣା ଗୋଟି

ଘଡ଼ିଏ ନ ଯାଉଁ ଦେଉ ରେ ବାଟି ।

ତୁ କାଟିଲେ ସୂତା ଆମଗାଁ-ତନ୍ତୀ

ବୁଣିଦେବ ମୋତେ ଚଦର ଧୋତି ।

ଖେଳୁ ଖେଳୁ କରୁ ପରର ଭଲ

ସେପରି କରିବି ସଙ୍ଗେ ତୋହର ।

(କ)

ବାଆଁ ହାତେ ସୂତା କାଟିବି ମୁହିଁ

ମୋଟ ସରୁ କେବେ ନ ହେବ କାହିଁ ।

ବିଷି ଅଙ୍ଗୁଳିରେ ରଖି ଟକଲୀ

ତଳକୁ ଟାଣିବି ବୁଢ଼ା ଆଙ୍ଗୁଳି ।

ମଝି ଅଙ୍ଗୁଳିରେ ସେପରି କରି

କାଟିଯିବି ସୂତା ନ କରି ଡେରି ।

(ଖ)

ଡାହାଣ ହାତରେ ବଡ଼ ସହଜ

ଜାଣିଥିଲେ ଭାଇ କାଟିବା ଖଞ୍ଜ ।

ବିଷି ମଝି ଟିପ ଆସିବ ତଳ ,

ବୁଢ଼ା ଟିପ ଏକା ଯିବ ବାହାର ।

ଡାଆଁ ବାଆଁ ସୂତା ହୋଇବ ଏକା

ତନ୍ତୀ ବିଚରାର ନ ଥିବ ଦକା ।

Image

 

ଗତି-ପରୀକ୍ଷା

 

ଆସ ମୋର ଭାଇ ଭଉଣୀ,

 

ବସି ସୂତା କାଟିବା

ଏକ୍ କହିଲେ ସଲଖେ

 

ସୁଖାସନେ ବସିବା ।

ପଟି ଗୋଟି ଆଣି ପକାଇ

 

ଦେବା ସାମନା ପାଖେ

ଦୋ ରେ ବଳଣା ନଖେଇ

 

ଦେବା ଟକଲୀ ନାକେ ।

ସର୍ ସର୍ ସୂତା ବାହାରୁଥିବ

 

ଲାଗିବ ମଜା

ଟକଲୀରେ ତାକୁ ଗୁଡାଇ

 

ସବୁ କରିବା ସଜ୍ଜା ।

ତିନ କହିଲେ କାଟିବା ସୂତା

 

ପାଟି ନ କରି

ଗତି ପରୀକ୍ଷାରେ ଦେଖିବା

 

ଯିବ କିଏ ସେ ବଳି ?

ନୀରବେ ବଢ଼ିବ ଗତି ଲୋ

 

ସୂତା ହୋଇବ ଭଲ

ମୋଟ ସରୁ ଆଉ ନ ହୋଇ

 

ହେବ ସମ ସୁନ୍ଦର ।

ସମୟ ହୋଇଲେ ଏକ୍, ଦୋ,

 

କହି ବନ୍ଦ କରି

ସଙ୍ଗେ ସଙ୍ଗେ ଗଣି ଗୁଡାଇ

 

ଦେବା ଲଟେଇ ଧରି ।

ଗଣିସାରି ସୂତା ହିସାବ

 

ସବୁ ଦେବାରେ ଯେବେ

ଦେଖିବା ସମାନ ପାକଳ

 

ବେଶୀ କା ସୂତା ତେବେ ।

Image

 

ଅଭ୍ୟାସ କଟେଇ

 

ଧର ତୁ ବଳଣା

 

ପକାଅ ପଟି

ଅଭ୍ୟାସରେ ସୂତା

 

ବସିବା କାଟି ।

ବଳଣା ନଖେଇ

 

ଟକଳୀ ନାକେ

କାଟ ଏବେ ସୂତା

 

ତୁ ମନ ସୁଖେ ।

 

 

 

ବଡ ମଜା ଗପ

 

କହୁ ସେ ଗୋଟେ

କେହି ପାଟିକର

 

ନାହିଁଟି ମୋଟେ ।

ଗପ ଶେଷେ ତୁଇ

 

ଗୀତ ଗାଇବୁ

ପଛେ ତାଳେ ସବୁ

 

ଆମେ ଗୀତ ବୋଲିବୁ ।

 

 

 

ଶିଖିଯିବା କେତେ

 

ଢଗଢ଼ମାଳି

କେତେ ନୂଆ ନୂଆ

 

ଗୀତ ପହଳି ।

ସୁତା କଟା କାମ

 

ହେବ ଅସଲ

ତାର ସାଥେ ପାଠ

 

ହେବ ହାସଲ ।

Image

 

ବଗିଚା କାମ

 

ଭାଇ, ଚାଲ୍ ରେ ଏବେ ଚାଲ୍

କୋଡ଼ି କେଦାଳ ହାତେ ଧରି ମାଟି ତାଡ଼ି ଚାଲ୍ ।

ସବୁ କାମ ଆଗେ ଭାଇ ଦାନା ମୁଠି ସାର୍

ଆଉ ସବୁ ପଛ, ଆଗ ଦାନାର ଯୋଗାଡ଼ ।

ଭାଇ, ଚାଲରେ ଏବେ ଚାଲ୍

କୋଡ଼ି କୋଦାଳ ହାତେ ଧରି ମାଟି ତାଡ଼ି ଚାଲ୍ ।୧।

ଦାନା ମୁଠି କନା ଖଣ୍ଡି ଅଗ ଦରକାର

ତେବେ ଯାଇ ପାଠ ପଢ଼ା ଦୁନିଆର ହାଲ ।

ଭାଇ ଚାଲ୍‌ରେ ଏବେ ଚାଲ୍

କୋଡ଼ି କେଦାଳ ହାତେ ଧରି ମାଟି ତାଡ଼ି ଚାଲ ।୨।

ମାଟି ଦେବ ଭାତ ଲୁଗା ମାଟି ତୋର ସାର

ମାଟି ଘର ମାଟି ଦ୍ୱାରା ସଦା କାରବାର ।

ଭାଇ, ଚାଲରେ ଏବେ ଚାଲ୍‌

କୋଡ଼ି କେଦାଲ ହାତେ ଧରି ମାଟି ତାଡ଼ି ଚାଲ ।୩।

ମାଟି ପାଠ ନ ଜାଣେ ଯେ ପାଠ ବାକୀ ତାର

ଆଖି ବୁଜି ଅଣ୍ଡାଳେ ସେ ନିପଟ ବେକାର ।

ଭାଇ, ଚାଲରେ ଏବେ ଚାଲ୍

କୋଡ଼ି କେଦାଳ ହାତେ ଧରି ମାଟି ତାଡ଼ି ଚାଲ୍ ।୪।

ମାଟି ତାଡ଼ି ଗଢ଼ିବାରେ ସୁନାର ସଂସାର

ନିଜେ ଖଟି ନିଜେ ଭୁଞ୍ଜ ନିଜ ରୋଜଗାର ।

ଭାଇ, ଚାଲରେ ଏବେ ଚାଲ

କୋଡ଼ି କେଦାଳ ହାତେ ଧରି ମାଟି ତାଡ଼ି ଚାଲ ।୫।

ନିଜେ ଖଟି ଭୁଞ୍ଜଇ ଯେ ନିଜ ରୋଜଗାର

ସ୍ୱରାଜ ତା ନିଜ ହାତେ ଡର ନାହିଁ ତାର ।୬।

Image

 

ପ୍ରାକୃତିକ ସଙ୍ଗୀତ

(ବାରମାସୀ ଗୀତ)

ବଇଶାଖ ଶେଷେ ତାଡ଼ିଲି ମାଟି ଲୋ

କିଆରୀ ହୋଇଲା ସଜା

ଜ୍ୟେଷ୍ଠ ଶେଷେ କପା ଲଗାଇ ଦେଲି ଲୋ

ଆଷାଢ଼େ ମାଇଲା ଗଜା ଲୋ ।

ଶ୍ରାବଣ ମାସରେ ଧାରାବରଷା ଲୋ

ପତର ଧଇଲା ଚାରା

ଭୋଦୁଅ ଆଶୀଣେ ଶାଗୁଆ ପତରେ

ମୋ ଗଛ ଦିଶିଲା ତୋରା ଲୋ ।

କାର୍ତ୍ତିକ ମାସରେ ନାଲି ହଲଦିଆ

ଫୁଲ ଫୁଟିଗଲା କେତେ

ଆଶା ବଳୁଥାଏ ଥରକୁ ଥର ମୋ (ସୁନାଫୁଲ ଲୋ)

ଯେତେ ଦେଖୁ ଥାଏଁ ତେତେ–ସୁନାଫୁଲ ଲୋ ।

ଆଦ୍ୟ ମାର୍ଗଶିରେ ଶାଗୁଆ ଫଳେ ଲୋ

ମୋ ଗଛ ଦିଶିଲା ଭରା

ପଉଷର ଶେଷେ ମଉଳି ଗଲା ଲୋ

ଶୁଖି ପଡିଗଲା କଳା ଲୋ ।

ମାଘମାସେ କପା ଫୂଟି ଝଡିଲା ଲୋ

ଆଣିଲି ଚାଙ୍ଗୁଡା ଭରି

ଫଗୁଣେ ଶୁଖାଇ ମଞ୍ଜି ଛଡାଇଲି (ସୁନାଫୁଲ ଲୋ)

କପା ଖାଇ ପାଖେ ଧରି– (ସୁନାଫୁଲ ଲୋ)

ଚଇତେ କାଟିଲି ଅରଟେ ସୂତା ଲୋ

ବୁଣାଇଲି ତନ୍ତୀ ହାତେ

ସେ ଖଦି ପିନ୍ଧାରେ ସରି କି ହୋଇବ

ପାଟ ମଠା ଦେଲେ ଯେତେ ଲୋ ?

Image

 

ଶୀତଦିନେ

(୩)

ପାଉଁଶିଆ ଦିଶେ ଦୂର ତୋଟା ଗାଆଁ

କୁହୁଡ଼ି ଆସଇ ଘୋଟି

ସଞ୍ଜରୁ ସକାଳ କାକର ବରଷେ

ଟୋପା ଟୋପା ରାତି ଗୋଟି ।

ଆକାଶରେ ନାହିଁ ବଉଦର ଚିହ୍ନ

ଜାଡ଼ ଆସିଲାଣି ମାଡ଼ି

ନିତି ନିତି ଦିନ କେତେ କମିଲାଣି

ରାତି ଯାଉଅଛି ବଢ଼ି ।

ଗାଆଁ ବୁଢାବୁଢୀ କୁଂକୁରି କାଂକୁରି

ପିଣ୍ଡାରେ ପୁଅନ୍ତି ଖରା

ଶୀତକୁ କି ଆମେ ଡରିବାର ପିଲା

ଆସ ଦଉଡ଼ିବା ପରା ।

ଚଷାଭାଇ ଧାଏଁ ହସ ହସ ମୁହେଁ

କାଟିବ ପାଚିଲା ଧାନ

ଖରା ବରଷାରେ ଖଟିଛି ଯା ଲାଗି

ପାଇବ ଆଜି ତା ଧନ ।

ସୁନା ଚକଚକ ସୋରିଷ ଫୁଲରେ

ବିଲ ଗୋଟି ଦିଶେ ତୋର

ମୁଗ ଚଣା ଛୁଇଁ ଆମ ଲାଗି ହେଲା

ଅଣ୍ଟି ଅଣ୍ଟି ହେବ ତୋଳା ।

ପତର ଝଡ଼ିଲା ଗଛ ବିଚରା ତ

ଖୁଣ୍ଟା ହୋଇ ହେଲା ଠିଆ

ଉତ୍ତରା ପବନେ ଆମ ଦେହ ଗୋଟା

ଫାଟି କରି କଲା ଆଁ ।

Image

 

ପହିଲି ବସନ୍ତେ

 

ଲାଗେ ଅତି ନୂଆ ରେ ଲାଗେ ଅତି ନୂଆ

ଛପି ଛପି ବହି ଆସେ ସୁଲୁ ସୁଲିଆ ବାଆ ରେ,

ମହୁଠାରୁ ବଳି ସୁଆଦିଆ । ଘୋଷା ।

ଦକ୍ଷିଣ ଦିଗରୁ ଆସି ଦେହ ଛୁଇଁ ଯାଏ

ମନକୁ ମୋର କେଉଁ ଦୂରଦେଶେ ଭିଡ଼ି ନିଏ ରେ । ୧ ।

ମହୁଠାରୁ ବଳି ସୁଆଦିଆ ।

ଛୁଇଁ ଦେଲାରୁ ବଉଳିଲାଣି କେତେ ଆମ୍ବଗଛ

କଅଁଳି-ଲାଣି ଗଛଲତା ହୋଇ ଆଗ ପଛ ରେ । ୨ ।

ମହୁଠାରୁ ବଳି ସୁଆଦିଆ ।

ଫୁଟଇ କେତେ ଜାତି ଫୁଲ ଯୁଇ,ଯାଇ ମଲ୍ଲି

କୋଇଲି ଆସି ଗାଉଛି ଗୀତ କୁହୁ କୁହୁ ବୋଲି ରେ । ୩ ।

ମହୁଠାରୁ ବଲି ସୁଆଦିଆ ।

ନାହିଁ ତ ଆଉ ବାଘୁଆ ଜାଡ଼ ଦୁନିଆଁ ହୁଏ ନୂଆ

ମନ ଫୁଲାଣିଆ ଗୀତ ଗାଇ ନାଚିବୁ ଆମେ ଛୁଆ ରେ । ୪ ।

ମହୁଠାରୁ ବଳି ସୁଆଦିଆ

Image

 

ଖରାଦିନେ

 

କଅଁଳ-ପତରୁ ନାଲି ବଦଳିଲା

ଶାଗୁଆ ଦିଶଇ ଖରା,

ଚଇତ ନ ଗଡ଼ୁ ନିଆଁ ପରି ମାଡ଼ି–

ଆସଇ ଟାଣୁଆ ଖରା ।

ସକାଳ ପହରୁ ନ ଗଡ଼ୁ ଆସଇ

ଦୁନିଆଁ ଗୋଟାକ ଜାଳି,

ନିଆଁ ଗଣ୍ଡିଠାରୁ ବଳି ଡହକ ଲୋ

ନଈ-ଦାଣ୍ଡ-ଘାଟ ବାଲି ।

ଦୁଇ ପହରିଆ ଡହକ ପବନ

ବିଞ୍ଚି ଯାଏ ନିଆଁ କଣା,

ମୃଗତୃଷ୍ଣା ଜଳ କଳା ଭ୍ରମର ଲୋ

ବାଟୋଇକି କରେ ବଣା ।

ଦୁଇ ପହରିଆ ଝଡ଼ ବତାସ ଲୋ

ଘଡ଼ିକରେ ଟଳମଳ,

ଇନ୍ଦର ରଜାଟା କୁଆପଥର ଲୋ

ବରଷେ ସରଗ ଫଳ ।

ହେଉପଛେ ଖରା- ଦିନ ନିଷ୍ଠୁର ଲୋ

ତା ବିନା ପଚାନ୍ତା କିଏ ?

ବେତ, ଖିରୀକୋଳି ଆମ୍ବ ପଣସ ଲୋ

କେଡ଼େ ମିଠା ଫଳ ଦିଏ !

ସଜ ଛନଛନ ତାଳ ସଜ କହ

ଆଉ କେ ଦବ ତା ବିନା,

ଯୁଈ ଯାଇ ମଲ୍ଲି ମାଳତୀ ଫୁଟଇ

ଖରାଦିନ ଯୋଗୁଁ ସିନା !

କୁହୁ କୁହୁ ବୋଲି କୋଇଲି ଗାଉଛି

ବସି ବସି ଗଛ ଡାଳେ,

ଖରାଦିନ ଗଲେ ଏଡ଼େ ମିଠା ଗୀତ

ଆଉ କି ପାଇବୁ ତିଳେ ?

ଖରାଦିନ ଯୋଗୁଁ ବରଷା ଆସଇ

ଝୁମୁଝୁମୁ ବାଜା ବାଇ,

ଚଷାପୁଅ ଧରେ ଲଙ୍ଗଳ ଜୁଆଳି

ଦୁନିଆର ପଡ଼ି ପାଇଁ ।

Image

 

ବର୍ଷାଦିନେ

 

ବଉଦ ଉଠଇ କଳାହାଣ୍ଡିଆ ରେ

ଆସିଲା ବରଷାକାଳ

ବିଜୁଳି ଖେଳଇ ନିଆଁ ହୁଲା ଖେଳ

ଘଡ଼ଘଡ଼ି ଦିଏ ତାଳ ।

ଖେଣ୍ଟା ଗଛ ସବୁ ଗଜରି ଗଲାଣି

କଅଁଳ ପତର ପିନ୍ଧି

ଯେଉଁ ଆଡେ ଚାହଁ ଶାଗୁଆ ଦିଶଇ

ବିଲ ତୋଟା ଅନ୍ଦିକନ୍ଦି ।

କେଡ଼େ ବେଗେ ଦେଖ ପାଣି ମାଡ଼ି ମାଡ଼ି ଆସେ

ନଈ ନାଳ ବିଲ ପୂରି

ସାରୁ କିଆରୀରେ ପାଣି ତଳେ ତଳେ

ବେଙ୍ଗ ଦିଏ ହୁଳହୁଳି ।

ଉଠ ଚଷା ଭାଇ ମଠ କରୁ କିଆଁ

ବିହୁଡା କାମଟି ଚଳା

ତୁ ଦେଲେ ଖାଇବେ ଏ ଦେଶଟା ସାରା

ନ କରରେ ଦଣ୍ଡେ ହେଳା ।

Image

 

ଡଙ୍ଗାଖେଳ ଗୀତ

 

ନଈ ବଢ଼ିଲା, ସୁଅ ଚାଲିଲା

ଯିବା ଡଙ୍ଗା ଖେଳି ରେ

ଜଲଦି ଆସ ଚାଲି । ଘୋଷା ।

ଭିଡ଼ ଭଡ଼ି କାତ ମୁଠା ଥିବୁ ଭାଇ ମାରି

କାଟୁଥିବୁ ପାଣି ପଛେ ଆହୁଲାଟା ଧରି ରେ

ମୋଡ ଦେଖି ମଙ୍ଗ ଦେବୁ ଚାଳି ।

ଜଲଦି ଆସ ଚାଲି । ୧ ।

ସୁଅମୁହେଁ ଡଙ୍ଗା ମୋର ଯାଉଥିବ ଚାଲି

ବଡ ମଉଜିଆ ଗୀତ ଦେଉଥିବି ଛାଡ଼ି ରେ

ବସି ବସି ଦେଉଥିବୁ ତାଳି ।

ଜଲଦି ଆସ ଚାଲି । ୨ ।

ଡରିବାର ପିଲା ନୁହେଁ ଯିବୁ ଆମେ ଡରି

ଆଣୁଥଲେ ସୁନାମୁଣ୍ଡା ଦରିଆ ସେପାରି ରେ;

ବାପ ଅଜା ବୋଇତଟା ମେଲି ।

ଜଲଦି ଆସ ଚାଲି । ୩ ।

Image